ଛବି କଥା କହେ - ସ୍ନିଗ୍ଧା ସାମନ୍ତରାୟ

 

କଳ୍ପନାର ଶବ୍ଦସିନ୍ଧୁ ତରଙ୍ଗରେ

ମତୁଆଲା ତ ଲେଖକ

ମନର ତୂଳିରେ ଭାଷା କୋଷ ଝରେ

ଦ୍ୱିତୀୟ ସ୍ରଷ୍ଟା ପୁଲକ  !!୧


କବିର ସୃଜନେ ଥିଲେତ ଓଜନ

ମାନପତ୍ର ନିଶା କିଆଁ

ଭାଷା ବର୍ଣ୍ଣବୋଧ ଯଦି କାଳଜୟୀ

ସାହିତ୍ୟ ରଚନା ହିଆ !!୨


ସାହିତ୍ୟ ସମ୍ବର୍ଦ୍ଧନା ନିଶ୍ଚିତ ଭଲ

ରାଜନୀତି ଯଦି ନାହିଁ

ବହୁ ଅନୁଷ୍ଠାନ ସାହିତ୍ୟ କ୍ଷେତ୍ରରେ

ବେପାର କରନ୍ତି ଭାଇ !!୩


ବର୍ଷର ଥରେ ମେସେଜ ଦିଅନ୍ତି

ସତେକି ଶୁଭ ମନାସି

କେଉଁ ଉପାଧିରେ କେତିକି ଟଙ୍କା

ମନଛୁଆଁ କଥା କହି !!୪


ନାହିଁ ଆଜି ସ୍ବାଧୀନତା ଲେଖକର

ନାହିଁଆଜି ସ୍ୱାଭିମାନ

ଲେଖା ଠାରୁ ବଳି ନାମ କମାଇବା

ସତେକି ତା ଜୀବନ !!୫


ପତ୍ରିକାରେ ପ୍ରକାଶ ପାଇଁ ୧ ଲେଖା

ଶହେରୁ ଦୁଇଶ ଟଙ୍କା

ଲେଖକ ଠାରୁ ସାହିତ୍ୟ ଅନୁଷ୍ଠାନ

ଉପାଧିରେ କିଣା ବିକା !!୬


କବିର କଲମେ ଭାରି ଶକ୍ତିଶାଳୀ

ମିଡିଆ ପରି ତା କାମ

ପ୍ରଶଂସା ଓ ମାନପତ୍ର ମୂଲ୍ୟହୀନ

କ୍ଷଣିକ ଆନନ୍ଦ ଦାନ !!୭


ଲେଖକ ସମ୍ମାନ ସୃଜନୀରେ ଥାଏ

ଶବ୍ଦ ରସ ସୁର ଛନ୍ଦ

ଉତ୍ତମ ପାଠକ ମନକୁ ଛୁଇଁଲେ

ମିଳଇ ଉପାଧି ଚାନ୍ଦ !!୮


ଲେଖାଠାରୁ ଶାନ୍ତି ଦୁନିଆରେ ନାହିଁ

ସଦା ରଚନା ସାଧନା

ଶବ୍ଦ ଖେଳରେ ବିତାଇ ଏ ଜୀବନ

ସାହିତ୍ୟ ସୃଷ୍ଟି ଉଦ୍ୟାନ !!୯


କାହାରି ମାୟାରେ ବାୟା ହେବା ନାହିଁ

ଶବ୍ଦ ଭାଷା ଦେବା ଧ୍ୟାନ

ଉପାଧି ସମ୍ମାନ ଥାକରେ ତ ଥିବ

ଲେଖାଟି ଅମର ଜାଣ !!୧୦


ସ୍ନିଗ୍ଧା ସାମନ୍ତରାୟ,

 ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର,

Post a Comment

0 Comments